UPDATES Report corruption, traffic, pollution, civic issues anonymously via our WhatsApp Tip Line +91672078574 or call us +918280188023. | भ्रष्टाचार, यातायात, प्रदूषण, नागरिक मुद्दों की गुमनाम रूप से हमारी व्हाट्सएप टिप लाइन +91672078574 के माध्यम से रिपोर्ट करें या हमें +918280188023 पर कॉल करें।
📅 Published on Wednesday, September 16, 2026

ବଲାଣି-କିରିବୁରୁ ମୁଖ୍ୟ ରାସ୍ତାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର ଆହତ, ପିରାମଲ ଡାକ୍ତରୀ ଟିମ୍‌ର ପ୍ରଶଂସନୀୟ ଉଦ୍ଧାର କାର୍ଯ୍ୟ

 ବଲାଣି/ବଡ଼ବିଲ, ୧୬ ସେପ୍ଟେମ୍ବର: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣିରୁ କିରିବୁରୁ ସଂଯୋଗ କରୁଥିବା ହରମଠ ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୧ ସମୟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଯାଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ଘଟଣାଟି ସମ୍ପୂର୍ଣ୍ଣ ସାଂଘାତିକ ଥିବାରୁ ଦୁଇ ଜଣ ମୋଟରସାଇକେଲ ଆରୋହୀ ଘଟଣାସ୍ଥଳରେ ହିଁ ଚେତା ହରାଇ ପଡ଼ିଥିଲେ। ଗୁରୁତର ଆହତ ଯୁବକମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ଉତ୍ତମ ହାଟିଂର ସନାତନ ଦାସ (୪୦) ଏବଂ ବଡ଼ବିଲର ବାବୁଲୁ ଦାସ। ଜଣାପଡ଼ିଛି ଯେ ଉଭୟ ଯୁବକ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୧ ସମୟରେ କଳିଙ୍ଗରୁ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତୀବ୍ର ଗତିରେ ଯାତ୍ରା କରୁଥିଲେ ଏବଂ ହଠାତ୍ ଭାରସାମ୍ୟ ହରାଇ ବିପରୀତ ଦିଗରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ।


ଦୁର୍ଘଟଣା ପରେ ହରମଠ ଗ୍ରାମରୁ ଫେରୁଥିବା ବଲାଣି ଲୌହ ଖଣିର ସିଏସଆର ଅଧୀନସ୍ଥ ଏକ ପିରାମଲ ସ୍ୱାସ୍ଥ୍ୟ ଡାକ୍ତରୀ ଟିମ୍ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଉଭୟ ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ। ଖବର ପାଇ ବଲାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଡାକ୍ତରୀ ଟିମ୍‌ର ସହଯୋଗରେ ଉଭୟଙ୍କୁ ଉଦ୍ଧାର କରି ବଲାଣି ଡାକ୍ତରଖାନାକୁ ପଠାଇଥିଲେ, ଏବଂ ପରେ ଉତ୍ତମ ଚିକିତ୍ସା ନିମନ୍ତେ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ବନ୍ଧରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।


ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ରାସ୍ତା ସୁରକ୍ଷା ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି। କେବଳ କିଛି ଦିନ ପୂର୍ବେ ଉକ୍ତ ରାସ୍ତାରେ ତୀବ୍ର ଗତିରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଫଳରେ ବଲାଣି ଓ କିରିବୁରୁ ମୁଖ୍ୟ ରାସ୍ତା ଏବେ ମର୍ମଦୁନ୍ତ ପାଲଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ତୀବ୍ର ଗତି ନିୟନ୍ତ୍ରଣ, ସଡ଼କ ସୁରକ୍ଷା ସଚେତନତା ଏବଂ ଦୁର୍ଘଟଣା ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପ୍ରଶାସନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଆହତ ଯୁବକମାନଙ୍କୁ ଉଦ୍ଧାର କରିଥିବା ପିରାମଲ ସ୍ୱାସ୍ଥ୍ୟ ଡାକ୍ତରୀ ଟିମ୍‌କୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।


ରିପୋର୍ଟ: ରାଜେନ୍ଦ୍ର ନନ୍ଦ