JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ, ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼
ଯୋଡ଼ା, ୧୧ ସେପ୍ଟେମ୍ବର: କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଅନେକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ଶିଳ୍ପ ଉପରେ ନିର୍ଭରଶୀଳ, ବିଶେଷକରି ଯୋଡ଼ା–ବଡ଼ବିଲ ଅଞ୍ଚଳରେ ଅନେକ ଗାଡ଼ି ମାଲିକ ଭାରୀଯାନ ଟ୍ରକ୍ କିଣି ଏହା ମାଧ୍ୟମରେ ନିଜ ପରିବାରର ଜୀବିକା ନିର୍ବାହ କରୁଛନ୍ତି, ତେବେ ଦିନକୁ ଦିନ ଗାଡ଼ି ମାଲିକମାନେ ନିଜ ଗାଡ଼ି ଲୋଡ୍ କରିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଗାଡ଼ି ମାଲିକମାନଙ୍କ ଏହି ସମସ୍ୟାର ସମାଧାନ ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷାକୁ ନେଇ ଆଗାମୀ ଦିନରେ ଯୋଡ଼ା ଟ୍ରକ୍ ମାଲିକ ସଂଘ (JTOA)ର ନିର୍ବାଚନ ହେବାକୁ ଯାଉଛି, ଏହି ନିର୍ବାଚନକୁ ନେଇ ଯୋଡ଼ା ଅଞ୍ଚଳରେ ରାଜନୈତିକ ଓ ସଂଗଠନାତ୍ମକ ଚଞ୍ଚଳତା ବଢ଼ିଛି।
ଏହି କ୍ରମରେ ଗାଡ଼ି ମାଲିକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି, ଯେଉଁଠାରେ ଯୋଡ଼ା ଅଞ୍ଚଳର ପରିଚିତ ବ୍ୟକ୍ତି ରଞ୍ଜିତ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଗାଡ଼ି ମାଲିକମାନଙ୍କ ବିଭିନ୍ନ ସମସ୍ୟା, ଗାଡ଼ି ଲୋଡିଂରେ ହେଉଥିବା ଅସୁବିଧା ଏବଂ ସଂଘର ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ରଞ୍ଜିତ ମହାକୁଡ଼ ଗାଡ଼ି ମାଲିକମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଏକ ନୂତନ ଦଳ ଗଠନ କରି ଆଗାମୀ JTOA ନିର୍ବାଚନ ଲଢ଼ିବା ନେଇ ନିଜ ମତ ପ୍ରକାଶ କରିଥିବା ବେଳେ, ପୂର୍ବରୁ ସଂଘରେ ନିର୍ବାଚିତ ହୋଇଥିବା କିଛି ସଦସ୍ୟ ଗାଡ଼ି ମାଲିକମାନଙ୍କ ସମସ୍ୟାକୁ ଆଶାନୁରୂପ ଗୁରୁତ୍ୱ ଦେଇନଥିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିବା ଦାବି କରାଯାଇଛି। ଆଗାମୀ JTOA ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନୂତନ ଦଳର ଏହି ପ୍ରସ୍ତୁତି ବୈଠକକୁ ନେଇ ଯୋଡ଼ା ଅଞ୍ଚଳର ଗାଡ଼ି ମାଲିକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି, ଏବଂ ଆଗାମୀ ନିର୍ବାଚନରେ କେଉଁ ଦଳ କେତେ ରଣନୀତି ଆପଣାଇବ ତଥା ଗାଡ଼ି ମାଲିକମାନଙ୍କ ସମର୍ଥନ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ରିପୋର୍ଟ: ଟଙ୍କଧର ପାତ୍ର
