କମାଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର ଆହତ; ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ
ବଡ଼ବିଲ, ୧୩ ସେପ୍ଟେମ୍ବର: ସୁନ୍ଦରଗଡ଼ ଜିଲ୍ଲା ଖଣି ଅଞ୍ଚଳର କୋଇଡ଼ା ଥାନା ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କମାଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଶନିବାର ଦିନ ସକାଳ ପ୍ରାୟ ୧୦:୩୦ ମିନିଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯେଉଁଥିରେ ୫ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଷ୍ଟିଲ ମେଲଟିଂ ସପ-୨ (ଏସଏମଏସ-୨) ର ଫର୍ଣ୍ଣେସରେ ଘଟିଥିବା ଏହି ବିସ୍ଫୋରଣ ଏତେ ପ୍ରବଳ ଥିଲା ଯେ ପ୍ରାୟ ୧୦ କିଲୋମିଟର ପରିଧି ମଧ୍ୟରେ କମ୍ପନ ଅନୁଭୂତ ହୋଇଥିଲା ଏବଂ ଆକାଶରେ କଳା ଧୂଆଁର ଏକ ବିରାଟ ବାଦଲ ସୃଷ୍ଟି ହୋଇଥିଲା। ଫର୍ଣ୍ଣେସ ନିକଟରେ କାର୍ଯ୍ୟରତ ଶ୍ରମିକମାନେ ପ୍ରାଣ ଭୟରେ ଏଣେତେଣେ ଦୌଡ଼ିଥିଲେ, ଏବଂ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଆହତ ଶ୍ରମିକମାନଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣା ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କାହାରିକୁ ଭିତରକୁ ପ୍ରବେଶ କରାଇ ନଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଏହି ଗମ୍ଭୀର ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛି। ଅନ୍ୟ ରାଜ୍ୟରୁ ଆସି ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ସହିତ ସ୍ଥାୟୀ ଶ୍ରମିକମାନେ ମଧ୍ୟ ଆହତ ହୋଇଥିବା ଆଶଙ୍କା କରାଯାଉଛି, କିନ୍ତୁ ପ୍ରକୃତ ସଂଖ୍ୟା ଏବଂ କ୍ଷତିର ପରିମାଣ ବିଧିବଦ୍ଧ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଶ୍ରମିକମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଏବଂ ପ୍ରଶିକ୍ଷଣ ଯୋଗାଇ ଦିଆଯାଇ ନଥିଲା, ଏବଂ ସେମାନେ ଅସୁରକ୍ଷିତ ପରିସ୍ଥିତିରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ଏହାର ସ୍ୱତନ୍ତ୍ର ତଦନ୍ତ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରିପୋର୍ଟ: ରାଜେନ୍ଦ୍ର ନନ୍ଦ



