ମା’ ତାରିଣୀ ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ
ଯୋଡ଼ା, ୧୩ ସେପ୍ଟେମ୍ବର: କେନ୍ଦୁଝର ଜିଲ୍ଲା କରଞ୍ଜିଆପଡ଼ାସ୍ଥିତ ମା’ ତାରିଣୀ କ୍ଲବ ପକ୍ଷରୁ ଆୟୋଜିତ ୨୦ତମ ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ତେଲକୋଇ ବିଧାୟକ ଶ୍ରୀ ଫକୀର ମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟିର ବିଭିନ୍ନ ପଦାଧିକାରୀ ଓ ନେତୃବୃନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ।
ମା’ ତାରିଣୀ କ୍ଲବ ପକ୍ଷରୁ ଟୁର୍ଣ୍ଣାମେଣ୍ଟଟିକୁ ଅତ୍ୟନ୍ତ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରାଯାଇଥିଲା, ଏବଂ କରଞ୍ଜିଆପଡ଼ା ଖେଳ ପଡ଼ିଆରେ ଆୟୋଜିତ ଏହି ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ଫୁଟବଲ୍ ପ୍ରେମୀଙ୍କ ସମାଗମ ହୋଇଥିଲା। ଦର୍ଶକଙ୍କ ଉତ୍ସାହ ଓ ଖେଳାଳିଙ୍କ ରୋମାଞ୍ଚକର ପ୍ରଦର୍ଶନରେ ସମଗ୍ର ପଡ଼ିଆ ଉତ୍ସବମୁଖର ହୋଇଉଠିଥିଲା।
ଦୀର୍ଘ ୨୦ ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳରେ ଫୁଟବଲ୍ ଖେଳର ପ୍ରଚାର ଓ ପ୍ରସାର ସହିତ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଆସୁଥିବାରୁ ଆୟୋଜକ କ୍ଲବର ଏହି ପ୍ରୟାସକୁ କ୍ରୀଡ଼ାପ୍ରେମୀମାନେ ପ୍ରଶଂସା କରିଛନ୍ତି।
ରିପୋର୍ଟ: ଟଙ୍କଧର ପାତ୍ର

