ରୁଙ୍ଗଟା ଷ୍ଟିଲ୍ ପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ | ୫ ଶ୍ରମିକ ଗୁରୁତର ଆହତ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
କେନ୍ଦୁଝର/ଯୋଡ଼ା: ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ା ଥାନା ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ ଲିମିଟେଡ୍ର କମାଣ୍ଡ ଷ୍ଟିଲ୍ ପ୍ଲାଣ୍ଟରେ ଶନିବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ସପ୍-୨ (SMS-2)ର ଫର୍ନେସ୍ରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ପ୍ରଭାବ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣା ପରେ କିଛି ସମୟ ପାଇଁ ପ୍ଲାଣ୍ଟ ପରିସରରେ ଧୂଆଁର ଘନ ଆସ୍ତରଣ ଦେଖାଯାଇଥିଲା।
ବିସ୍ଫୋରଣ ଘଟିବା ପରେ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରୁ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ଘଟଣା ପରେ ପ୍ଲାଣ୍ଟ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ପ୍ରକୃତ କାରଣ ଏବଂ ପ୍ଲାଣ୍ଟରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ଲାଣ୍ଟରେ ଠିକାଦାର ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କ ସମେତ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ତେବେ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଉପକରଣ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି କି ନାହିଁ, ତାହାର ଯାଞ୍ଚ ଦାବି ହୋଇଛି।
ଏହି ଘଟଣାରେ ପ୍ରକୃତରେ କେତେ ଜଣ ଆହତ ହୋଇଛନ୍ତି ଏବଂ ବିସ୍ଫୋରଣର ପ୍ରକୃତ କାରଣ କ’ଣ—ତାହା ବିଧିବଦ୍ଧ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
କେନ୍ଦୁଝର, ଯୋଡ଼ାରୁ ଟଙ୍କଧର ପାତ୍ରଙ୍କ ରିପୋର୍ଟ।
