ଯୋଡ଼ାରେ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ: ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଗୁରୁତ୍ୱ
ଦି ବିବିଏନ ପୋଷ୍ଟ (ଡେସ୍କ) ବଡ଼ବିଲ [ ରିପୋର୍ଟ: ଟଙ୍କଧର ପାତ୍ର ] - ଯୋଡ଼ା ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ନିମନ୍ତେ ଆଜି ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂଜା ସମୟରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା ଓ ଆପାତକାଳୀନ ଚିକିତ୍ସା ସୁବିଧା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ, ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ ସାମଲ, ବଡ଼ବିଲର ଅତିରିକ୍ତ ତହସିଲଦାର, ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ଯୋଡ଼ା ଟ୍ରକ୍ ମାଲିକ ସଂଘର ସମ୍ପାଦକ ତଥା ଲକ୍ଷ୍ମୀ ମନ୍ଦିର କମିଟି ସଦସ୍ୟ ରବି ନାରାୟଣ ଦାସ, ହୃଷୀକେଶ ଜେନା, ଯୋଡ଼ାର ପୂର୍ବତନ ବିଜେପି ସଭାପତି ରଞ୍ଜିତ ମହାକୁଡ଼ଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ବୈଠକରେ ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଉପରେ ମତବ୍ୟକ୍ତ କରିଥିଲେ। ମେଳା ଓ ପୂଜା ମଣ୍ଡପ ଅଞ୍ଚଳର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଭକ୍ତମାନଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇପାରିବ। ସେହିପରି ପୂଜା ଦେଖିବାକୁ ଆସୁଥିବା ଭକ୍ତଙ୍କ ଯାନବାହନ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା କରିବା ସହ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ଉପରେ ଆଲୋଚନା ହୋଇଥିଲା। ଏଥିପାଇଁ ପୋଲିସ ପ୍ରଶାସନ ସହ ଟାଟା କମ୍ପାନୀର ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ମେଳା ସମୟରେ କୌଣସି ଅଘଟଣ ଘଟିଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ମେଡିକାଲ ସୁବିଧା ଉପଲବ୍ଧ କରାଇବା ଉପରେ ମନ୍ଦିର କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ଯୋଡ଼ାର ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁମାନଙ୍କୁ ଏକ ସୁରକ୍ଷିତ ଓ ସୁବ୍ୟବସ୍ଥିତ ପରିବେଶ ଯୋଗାଇଦେବା ନିମନ୍ତେ ପ୍ରଶାସନ, ପୋଲିସ ଓ ମନ୍ଦିର କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
THE BBN POST – Hunt Fearlessly. Strike Mercilessly.
